ଲେଖକଙ୍କ ନିବେଦନ

ଧର୍ମର ଗ୍ଲାନି ଦୂର କରି ମାନବଜାତିକୁ ଭୂମାନନ୍ଦ-ଲାଭ-ପଥରେ ନୂତନ ପ୍ରେରଣା ଦେବା ଲାଗି ବର୍ତ୍ତମାନ ଯୁଗରେ ଶ୍ରୀରାମକୃଷ୍ଣଦେବଙ୍କର ଆବିର୍ଭାବ । ସମଗ୍ର ବିଶ୍ୱର ଉପଯୋଗୀ ଯୁଗଧର୍ମ ପ୍ରଚାର ପାଇଁ ସେ ଆହୁରି ଦୁଇଜଣ ମହାମାନବଙ୍କୁ ସଙ୍ଗରେ ଆଣିଥିଲେ-ତାଙ୍କର ଲୀଳାସଙ୍ଗିନୀ ଶ୍ରୀସାରଦା ଦେବୀ ଓ ଲୀଳାସହଚର ସ୍ୱାମୀ ବିବେକାନନ୍ଦ ।

ଶ୍ରୀରାମକୃଷ୍ଣ କୌଣସି ଦେଶ, ଜାତି ବା ଧର୍ମ ବିଶେଷ ଲାଗି ଆସି ନାହାନ୍ତି । ଅଧିକାରୀ ଭେଦରେ ପ୍ରତ୍ୟେକ ସ୍ତରର ମନୁଷ୍ୟକୁ ଭୂମାନନ୍ଦ ଲାଭ ପାଇଁ ସରଳ, ସୁଗମ ପଥ ଦେଖାଇବା ଉଦ୍ଦେଶ୍ୟରେ ତାଙ୍କର ଆଗମନ । ଶ୍ରୀରାମକୃଷ୍ଣଙ୍କର ଜୀବନ ତ୍ୟାଗ, ତପସ୍ୟା ଓ ଈଶ୍ୱର-ପରାୟଣତାର ଉଜ୍ଜ୍ୱଳ ଦୃଷ୍ଟାନ୍ତ; କିନ୍ତୁ ସମସ୍ତେ ତ ଯମନିୟମାଦି ଅନୁଷ୍ଠାନ କରିପାରନ୍ତି ନାହିଁ; ତେଣୁ ସଂସାରର ଯାବତୀୟ ଦାୟିତ୍ୱ ପାଳନ କରି ଗୃହରେ ରହି ମନୁଷ୍ୟ କିପରି ଭଗବଦ୍ଲାଭ କରିପାରେ ତା’ର ସାର୍ଥକ ଆଦର୍ଶ ଦେଖାଇଗଲେ ଶ୍ରୀସାରଦା ଦେବୀ ତାଙ୍କ ଜୀବନରେ ।

ବେଦାଦି-ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମନୁଷ୍ୟ ‘ଜଗତ-ପିତାଙ୍କର ସନ୍ତାନ’, ‘ଅମୃତର ପୁତ୍ର’ । ସ୍ୱାମୀଜୀ କହିଛନ୍ତି, ‘‘ମଣିଷର ଅନ୍ତରରେ ଭଗବାନ ବାସ କରନ୍ତି । ମଣିଷ ମଣିଷ ଭାଇ ଭାଇ ।’’ ଏଇ ପ୍ରେମଦୃଷ୍ଟିରେ ନାରାୟଣଜ୍ଞାନରେ ମଣିଷ ଯଦି ପରସ୍ପରର ସେବା କରେ, ତାହା ହେଲେ ଜଗତରେ ଶାନ୍ତିପୂର୍ଣ୍ଣ ମାନବ-ସମାଜ ସୃଷ୍ଟି ହୋଇପାରେ । ଏହି ବିଶ୍ୱମାନବତାର ପ୍ରଚାର ପାଇଁ ସ୍ୱାମୀଜୀଙ୍କର ଆଗମନ ।

ଉପଦେଶ ମଧ୍ୟରେ ହିଁ ଫୁଟି ଉଠେ ଉପଦେଷ୍ଟାର ଅନ୍ତରର ରୂପ । ଶ୍ରୀରାମକୃଷ୍ଣଙ୍କର ଉପଦେଶ ସମ୍ବନ୍ଧରେ ମହାତ୍ମା ଗାନ୍ଧୀ କହିଛନ୍ତି, ‘‘ସେ ଯାହା କହିଯାଇଛନ୍ତି, ତାହା ଶାସ୍ତ୍ରଜ୍ଞାନୀ ପଣ୍ଡିତଗଣଙ୍କର ସାରହୀନ ଉକ୍ତିମାତ୍ର ନୁହେଁ; ପରନ୍ତୁ ସେଗୁଡ଼ିକ ତାଙ୍କ ଜୀବନର ପ୍ରତ୍ୟକ୍ଷ ଅନୁଭୂତିର କଥା ।’’ ଏହା ଓଡ଼ିଶାର ଜନସାଧାରଣଙ୍କ ହାତରେ ଉପହାରସ୍ୱରୂପ ପ୍ରଦତ୍ତ ହେଲା । ସୁରଭିତ ଫୁଲମାଳର ସୁଗନ୍ଧ ପରି ଏହି ଉପଦେଶଗୁଡ଼ିକର ଦିବ୍ୟ ସୌରଭରେ ସେମାନଙ୍କର ଅନ୍ତର ଆମୋଦିତ ହେଉ, ଏହି ପ୍ରାର୍ଥନା । ଇତି ।

ରଥଯାତ୍ରା, ୨୪ ଜୁନ୍ ୧୯୭୧
ସ୍ୱାମୀ ଅପୂର୍ବାନନ୍ଦ